ସ୍ପେଶାଲ ରିପୋର୍ଟ

ଆଜି ବିଶ୍ୱ ଘର ଚଟିଆ ଦିବସ

ଆଜି ବିଶ୍ୱ ଘର ଚଟିଆ ଦିବସ

ପ୍ରକୃତି ଓ ଜୈବ ବିବିଧତାର ଅନନ୍ୟ ସୃଷ୍ଟି ହେଉଛି ଘରଚଟିଆ। ଛୋଟ ପକ୍ଷୀଟିଏ ହେଲେ ମଧ୍ୟ ପ୍ରକୃତି ଓ ସମାଜ ପାଇଁ ତା’ର ଅବଦାନ ରହିଛି। ଘରେ ରହିବାକୁ ପସନ୍ଦ କରୁଥିବା ଘରଚଟିଆ ଏବେ ନିଜ ପାଇଁ ବାସଘର ଖୋଜୁଛି। ଘରଚଟିଆଙ୍କ ଭଳି ଏକ ଛୋଟ ପକ୍ଷୀଙ୍କ ସଂଖ୍ୟା ଦିନକୁ ଦିନ ହ୍ରାସ ପାଉଥିବାରୁ ସେମାନଙ୍କ ସୁରକ୍ଷା ଉଦ୍ଦେଶ୍ୟରେ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖକୁ ‘ବିଶ୍ବ ଘରଚଟିଆ ଦିବସ’ ଭାବେ ପାଳନ କରାଯାଏ। ହାତ ପାପୁଲିରେ ଧରିପାରିବା ଭଳି ଚଢ଼େଇଟିଏ ଘରଚଟିଆ। ପ୍ରକୃତିର ଦୂତ ସେ। ଘରଚଟିଆ ଖୁସିରେ ଶବ୍ଦ କରି ଡେଇଁ ଡେଇଁ ବୁଲିବା ସୂଚାଏ ଯେ, ପ୍ରକୃତିର ସନ୍ତୁଳନ ଠିକ୍‌ ରହିଛି। ସାରା ବିଶ୍ୱରେ ୪୩ ପ୍ରକାର ଘରଚଟିଆ ଅଛନ୍ତି। ତେବେ ଦିନଥିଲା ଘରଚଟିଆ ଗାଁ, ସହର ପ୍ରତ୍ୟେକ ସ୍ଥାନରେ ଦଳ ଦଳ ହୋଇ ଉଡ଼ି ବୁଲୁଥିଲେ । ହେଲେ ସହରର ଉଚ୍ଚ ଅଟ୍ଟାଳିକାଗୁଡ଼ିକ ମଧ୍ୟରେ ଆଉ ଶୁଭୁନି ଘରଚଟିଆମାନଙ୍କର କିଚିରିମିଚିରି ଶବ୍ଦ। ଅନେକ ଅଞ୍ଚଳରେ ଘରଚଟିଆକୁ ଶୁଭ ବୋଲି ବିବେଚନା କରାଯାଏ। ସେଥିପାଇଁ କେତେକ ଆଦିବାସୀ ସମ୍ପ୍ରଦାୟରେ ଘରକାନ୍ଥରେ ସେମାନଙ୍କ ଚିତ୍ର ଅଙ୍କନ କରାଯାଇଥିବା ଦେଖିବାକୁ ମିଳେ। ପୂର୍ବରୁ ଘରଚଟିଆମାନେ ଚାଳ ଘରଗୁଡ଼ିକରେ ବସା ବାନ୍ଧି ରହୁଥିଲେ, ଅଣ୍ଡାରୁ ଛୁଆ ଫୁଟାଉଥିଲେ। ବିଭିନ୍ନ କାରଣରୁ ଏବେ କିନ୍ତୁ ଏହି ପକ୍ଷୀ ବିଲୁପ୍ତି ପଥରେ। ପୋକଜୋକ ଖାଇ ପ୍ରକୃତିର ଭାରସାମ୍ୟ ରକ୍ଷାରେ ସାହାଯ୍ୟ କରୁଥିବା ଘରଚଟିଆ ଏବେ ନିଜେ ଘର ଖୋଜୁଛି । ଭାରତୀୟ ପରିବେଶବିତ୍‌ ମହମ୍ମଦ ଦିଲାୱର୍‌ଙ୍କ ଦ୍ବାରା ପ୍ରତିଷ୍ଠିତ ‘ଦ ନେଚର୍ ଫର୍‌ଏଭର୍‌ ସୋସାଇଟି’ ଦ୍ବାରା ଏହି ଦିବସ ପାଳନ ଦିଗରେ ପଦକ୍ଷେପ ଆରମ୍ଭ କରାଯାଇଥିଲା। ୨୦୧୦ ମସିହାରେ ପ୍ରଥମ ଥର ପାଇଁ ‘ବିଶ୍ବ ଘରଚଟିଆ ଦିବସ’ ପାଳନ କରାଯାଇଥିଲା। ବହୁମାତ୍ରାରେ କୀଟନାଶକ ବ୍ୟବହାର, ଗୃହନିର୍ମାଣ ଢାଞ୍ଚାରେ ପରିବର୍ତ୍ତନ ଓ ଘର ସହ ସଂଲଗ୍ନ ବଗିଚା ହ୍ରାସ ଏହି ପକ୍ଷୀଙ୍କ ହ୍ରାସର ମୁଖ୍ୟ କାରଣ କୁହାଯାଉଛି। ଏହା ସହିତ ମୋବାଇଲ୍ ଓ ଟିଭି ଟାୱାରଗୁଡ଼ିକର ବିକିରଣ ଘରଚଟିଆମାନଙ୍କ ବଂଶକ୍ଷୟର ଅନ୍ୟତମ କାରଣ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଘରଚଟିଆମାନଙ୍କୁ ସୁରକ୍ଷା ଦେବା ପାଇଁ ଭାରତବର୍ଷରେ ବିଭିନ୍ନ ରାଜ୍ୟର ସ୍ବେଚ୍ଛାସେବୀ ସଂଗଠନଗୁଡ଼ିକୁ ଦାୟିତ୍ବ ଦିଆଯାଇଛି।

Click to comment

Leave a Reply

Your email address will not be published. Required fields are marked *

ଚର୍ଚ୍ଚିତ ଖବର

To Top