ଜି.ଉଦୟଗିରି: ୦୯/୦୪, ସ୍ଥାନୀୟ ଅଞ୍ଚଳର ସବୁଠାରୁ ବଡ଼ ପର୍ବ ଚୈତ୍ରମାସ ର ପ୍ରସିଦ୍ଧ ଠାକୁରାଣୀଙ୍କ ମାଁ ରୁଦ୍ରକାଳୀ ଙ୍କ ପାରମ୍ପରିକ ଦଣ୍ଡ ଯାତ୍ରା ମହା ହର୍ଷ ଉଲ୍ଲାସ ରେ ପାଳିତ ହେଉଛି । ଏହି ପାରମ୍ପରିକ ଦଣ୍ଡ ଯାତ୍ରା ପର୍ବ ଚଳିତ ମାସ ୧ ତାରିଖ ରାତିରୁ ଆରମ୍ଭ ହୋଇ ୧୩ ତାରିଖ ମେରୁ ଯାତ୍ରା ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ବୁଧବାର ଦିନ ଜି.ଉଦୟଗିରି ସ୍ଥିତ ବନ୍ଧ ଛକ ପଞ୍ଚଦଣ୍ଡ କମିଟି ତରଫରୁ ବିଭିନ୍ନ ଗ୍ରାମରୁ ଦଣ୍ଡ ଠାକୁରାଣୀ ଙ୍କୁ ବରଣ କରାଯାଇ ବନ୍ଧ ଛକ ଠାରେ ପଞ୍ଚ ଦଣ୍ଡ ମିଳନ ଅନୁଷ୍ଠିତ ହୋଇଛି।ଏହି ପଞ୍ଚଦଣ୍ଡ ମିଳନରେ ପେନାଲା,ସଲାଗୁଡ଼ା,କଇଁଝର,ବୁର୍ବିନାଜୁ,ସିର୍କାକୁଟି ଗ୍ରାମର ଦଣ୍ଡ ଥଳ ଅଂଶଗ୍ରହଣ କରିଥିବା ସୂଚନା ମିଳିଛି। ସକାଳେ ଆୟୋଜକ ଦଣ୍ଡ ଯାତ୍ରା କମିଟି ତରଫରୁ ସମସ୍ତ ଦଣ୍ଡ ଥଳ ମାନଙ୍କୁ ରୀତି ନୀତି ଅନୁସାରେ ବରଣ କରାଯାଇ ସେମାନଙ୍କୁ ବନ୍ଧ ଛକ ମିଳନ ସ୍ଥାନ କୁ ପାଛୋଟି ନିଆଯାଇଥିଲା। ବନ୍ଧ ଛକର ବିଭିନ୍ନ ସ୍ଥାନରେ ଦିନ ୧୨ ଘଣ୍ଟିକା ପରଠାରୁ ମାଁ ଙ୍କ ଧୂଳି ଦଣ୍ଡ ,ସନ୍ଧ୍ୟାରେ ପାଣି ଦଣ୍ଡ ଅନୁଷ୍ଠିତ ହୋଇଥିବା ବେଳେ ରାତି ୧୨ ଘଣ୍ଟିକା ଠାରୁ ଅଗ୍ନି ଦଣ୍ଡ ସହ ପୁରାଣ ଶାସ୍ତ୍ର ଅନୁସାରେ ସଂସ୍କୃତି ଓ ପରମ୍ପରା କୁ ନାଚ ଗୀତ ମାଧ୍ୟମରେ ପରିବେଷଣ କରିଥିଲେ ଦଣ୍ଡ ଥଳ। ଧୂଳି ଦଣ୍ଡ ସରିବା ପରେ ସନ୍ଧ୍ୟା ସମୟରେ ପାଣି ଦଣ୍ଡ ଅନୁଷ୍ଠିତ ହୁଏ ଅର୍ଥାତ୍ ସମସ୍ତେ ନଦୀ, ବନ୍ଧ ତୋଠରେ ନିଜେ ସ୍ନାନ ହେବା ସହ ଦେବା ଦେବୀଙ୍କୁ ସ୍ନାନ କରାଇବା ପରେ ଆୟୋଜୋକ କମିଟି ସ୍ଥିର କରିଥିବା ମିଳନ ପଡ଼ିଆ ଠାରେ ୫ ଟି ଦଣ୍ଡ ଥଳ ର ଗୌରୀବେତ, ପରଭାକାଠି ଠାକୁରାଣୀ ଙ୍କ ସହ ପାଟଢୋଲ, ଚମ୍ପାବର, ପାଟଭୁକ୍ତା, ଅଧିକାରୀ, ବୀଣାକାର ମିଳନ ହେଲା ପରେ ସମସ୍ତ ଦଣ୍ଡୁଆ ପଣା ସାରିବା ନୀତି ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟା ଆଳତି ପରେ ବିଳମ୍ବିତ ରାତିରେ ସମସ୍ତ ଦଣ୍ଡୁଆ ଏକ ଓଳି ଭୋଜନ କରିଥିଲେ । ଦଣ୍ଡ ଯାତ୍ରା ର ଢୋଲ, ତୁରୀ, ବାଜା ସହିତ ଝୁଣା ବାସ୍ନାରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ହଜାର ହଜାର ଶ୍ରଦ୍ଧାଳୁ ପଞ୍ଚଦଣ୍ଡ ମିଳନ ଯାତ୍ରା ଉପୋଭୋଗ କରୁଥିବା ଦେଖିବାକୁ ମିଳିଛି।
