ଭୁବନେଶ୍ୱର: ରାଜ୍ୟରେ ତାପମାତ୍ରା ବଢ଼ିବା ଆରମ୍ଭ ହୋଇଛି। ସୋମବାର ଅନେକ ସ୍ଥାନରେ ଟାଣ ଖରା ସାଙ୍ଗକୁ ତାପମାତ୍ରା ଉପରମୁହାଁ ହୋଇଛି। ଗତକାଲି ବୌଦ୍ଧରେ ରାଜ୍ୟର ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଛି। ୩୯.୨ ଡିଗ୍ରୀ ସହ ବୌଦ୍ଧ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ସେହିପରି ବଲାଙ୍ଗିର, ଭବାନୀପାଟଣା, ଝାରସୁଗୁଡ଼ା ଓ ମାଲକାନଗିରି ଭଳି ସହରରେ ତାପମାତ୍ରା ୩୭ ଡିଗ୍ରୀ ଉପରେ ରହିଛି।
ମଙ୍ଗଳବାରଠାରୁ ତାପମାତ୍ରାରେ ଆହୁରି ବୃଦ୍ଧି ହେବା ସହ ଅନେକ ସ୍ଥାନରେ ପାରଦ ୪୦ ଡିଗ୍ରୀ ଅତିକ୍ରମ କରିପାରେ। ବିଶେଷ କରି ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରାର ପ୍ରଭାବ ସବୁଠୁ ଅଧିକ ରହିବ। ଏମତି କି ୧୩ ଓ ୧୪ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ହିଟ୍ୱେଭ୍ ସ୍ଥିତି ଉତ୍ପନ ହେବ। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ୧୩ ଓ ୧୪ରେ ବୌଦ୍ଧ, ସୋନପୁର, ବଲାଙ୍ଗିର, କଳାହାଣ୍ଡି, ସମ୍ବଲପୁର ଓ ଝାରସୁଗୁଡ଼ା ଆଦି ଜିଲ୍ଲାରେ ଗ୍ରୀଷ୍ମ ଲହରୀ ସ୍ଥିତି ସୃଷ୍ଟି ହେବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। ଏହାକୁ ଦୃଷ୍ଟିରେ ରଖି ୨ ଦିନ ପାଇଁ ଏହି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ତାପମାତ୍ରା ବଢିବା ସହ ଖରାର ପ୍ରକୋପ ଅଧିକ ହେବାର ସମ୍ଭାବନା ଥିବାରୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।
