ଜି.ଉଦୟଗିରି,୬/୪-
ଜି.ଉଦୟଗିରି ବ୍ଲକ କଳିଙ୍ଗା ପଞ୍ଚାୟତ ଅନ୍ତର୍ଗତ କୁର୍ମୀଙ୍ଗିଆ କାଟାଗୁଡ଼ା ଗ୍ରାମରେ ୨୮ ଟିକିଆ ଜଙ୍ଗଲୀ ହାତୀ ପଲ ଆସି ଘର ଦ୍ୱାର ସହ ଫସଲ ନଷ୍ଟ କରିଥିବା ଦେଖିବାକୁ ମିଳିଛି । ଗତ ବର୍ଷ ମଧ୍ଯ ହାତୀ ପଲ ଆସି ଫସଲ ନଷ୍ଟ କରିବା ସହ ଘର ଭାଙ୍ଗି ଥିଲେ ଯାହା ଫଳରେ ପୀଡ଼ିତା ପରିବାର ଜଙ୍ଗଲରେ ଥିବା ଘର ଛାଡ଼ି କୁର୍ମୀଙ୍ଗିଆ ଆସି ବାର ଦ୍ଵାର ହୋଇ ରହିଥିଲେ। ଶେଷରେ ପୁଣିଥରେ ସେହି ଜଙ୍ଗଲ ଜାଗାକୁ ଫେରି ଘର ମରାମତି କରି ରହିଥିଲେ । ସୂଚନା ଅନୁସାରେ ୨୮ ଟିକିଆ ହାତୀପଲ କୁର୍ମୀଙ୍ଗିଆ,ବାରାକାଣ୍ଡି,ସାଲୁଙ୍ଗି,ରେଟୁଡ଼ି, ଗୁଟେଡ଼କୂପା,ଡଗରମୁଣ୍ଡା ଦେଇ କାଟାଗୁଡ଼ା ଗ୍ରାମରେ ପହଞ୍ଚି ଘର ଦ୍ୱାର ଭଙ୍ଗା ରୁଜା ସହ ଫସଲ ହାନି କରିଛନ୍ତି ।କାଟାଗୁଡ଼ା ମଳିନ୍ଦ୍ର ପ୍ରଧାନ,ଲକ୍ଷ୍ମୀ ପ୍ରଧାନ,ସରିତା ପ୍ରଧାନ,ଜନନୀ ପ୍ରଧାନ ଙ୍କ ସହ ଅନେକ ଚାଷିଙ୍କ ଫସଲ ବାଡ଼ ଭିତରେ ପଶି କଦଳୀ, ହଳଦୀ ବିଭିନ୍ନ ଫଳ ବଗିଚା ଭିତରେ ପଶି ଖାଇବା ସହ ଘର ଭିତରେ ଥିବା ଧାନ ଖାଇ ବ୍ୟାପକ କ୍ଷୟ କ୍ଷତି କରି ଘର ଦ୍ୱାର ଭାଙ୍ଗି ଦେଇଛନ୍ତି । କାଟାଗୁଡ଼ା ବାସୀଙ୍କ କହିବାନୁସାରେ ୨୮ ଟିକିଆ ଜଙ୍ଗଲୀ ହାତୀ ପଲ ସନ୍ଧ୍ୟା ହେଲେ ଗାଁ ଭିତରେ ପସି ଫସଲ ଖାଇ ଘର ଭାଙ୍ଗିବାର ଦୃଶ୍ୟ ଦେଖି ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ଗ୍ରାମବାସୀ ଭୟରେ ଗତ ବର୍ଷ ଘର ଦ୍ୱାର ଭିଟାମାଟି ଛାଡ଼ି ଅନ୍ୟତ୍ର ଚାଲି ଯାଇଥିଲେ କିନ୍ତୁ ରହିବା ପାଇଁ କିଛି ସାହାରା ନ ପାଇବାରୁ ପୁଣି ସେହି ଜଙ୍ଗଲ ଭିତରକୁ ଫେରି ଗତବର୍ଷ ହାତୀ ଭାଙ୍ଗିଥିବା ଘର ମରାମତି କରି ରହିଲେ ।ଏହି ବର୍ଷ ପୁଣି ଥରେ ହାତୀ ପଲ ଆସି ସେହି ଘରଗୁଡିକ ଭାଙ୍ଗି ସମ୍ପୂର୍ଣ୍ଣ ନଷ୍ଟ କରିଥିବା ଦେଖିବାକୁ ମିଳିଛି ।ଯେହେତୁ ଜଙ୍ଗଲି ହାତୀ ବାରମ୍ବାର ଏହିପରି ଘର ଭାଙ୍ଗୁଥିବା ବେଳେ ସରକାର ଏହି ୪ ପରିବାର ପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି।ସେମାନେ ଗତ ବର୍ଷ କ୍ଷୟକ୍ଷତି ବାବଦକୁ ସରକାରଙ୍କ ଠାରୁ କୌଣସି ସହାୟତା ପାଇ ନ ଥିଲେ କାରଣ ସେମାନଙ୍କର ପଟ୍ଟା ଜମି ନାହିଁ ।ସେପଟେ ବେସାହାରା ହୋଇ ଜୀବନ ସହ ସଙ୍ଘର୍ଷ କରୁଛନ୍ତି ୪ ପରିବାର । ସରକାର ଯଦି ଏହି ପରିବାରକୁ ସ୍ଥାୟୀ ପଟ୍ଟା ଜାଗା ସହିତ ସହାୟତା ପ୍ରଦାନ କଲେ ସେମାନେ ଶାନ୍ତି ରେ ଭୟମୁକ୍ତ ଜୀବନ ଯାପନ କରିଥାନ୍ତେ ବୋଲି ଗ୍ରାମବାସୀଙ୍କ ମଧ୍ୟରେ ମତ ପ୍ରକାଶ ପାଇଛି ।
