ଓଡ଼ିଆ ଖାଦ୍ୟ ସମ୍ଭାରରେ ମିଠା ଏକ ଅଭିନ୍ନ ଅଙ୍ଗ। ଓଡ଼ିଶାର ଭଳିକି ଭଳି ମିଠା ମଧ୍ୟରେ ଛେନାପୋଡ଼ର ସ୍ଥାନ ସ୍ବତନ୍ତ୍ର। ଛେନାରେ ଚିନି ମିଶାଇ ପୋଡ଼ ପିଠା ପ୍ରଣାଳୀରେ ଏହା ପ୍ରସ୍ତୁତ ହେଉଥିବାରୁ ଏହାକୁ ‘ଛେନାପୋଡ଼’ ବୋଲି କୁହାଗଲା। ନୟାଗଡ଼ ଜିଲ୍ଲାରୁ ବାହାରିଥିବା ଏହି ସୁଆଦିଆ ମିଠା ‘ଛେନାପୋଡ଼’ ଆଜି ସବୁ ଓଡ଼ିଆଙ୍କ ପ୍ରିୟ ପାଲଟିଛି। ପିଲାଠୁ ବୁଢ଼ା, ସଭିଁଙ୍କର ପ୍ରିୟ ମିଠା ହେଉଛି ଛେନାପୋଡ଼। ଛେନାପୋଡ଼ର ଆକ୍ଷରିକମାନେ ହେଉଛି ପୋଡ଼ା ଯାଇଥିବା ଛେନା ବା ପୋଡ଼ିକରି ତିଆରି କରାଯାଇଥିବା ଛେନାରେ ତିଆରି ଏକ ମିଠା। ଏହା ବାଦାମି ହେବାଯାଏଁ ଏହାକୁ ପୋଡ଼ାଯାଇ ତିଆରି କରାଯାଇଥାଏ। ଓଡ଼ିଆଙ୍କ ପ୍ରିୟ ମିଠାର ସ୍ବାଭିମାନକୁ ବଞ୍ଚାଇବାକୁ ପ୍ରତିବର୍ଷ ଏପ୍ରିଲ ୧୧ ତାରିଖକୁ ଛେନାପୋଡ଼ ଦିବସ ଭାବେ ପାଳନ କରାଯାଉଛ। ଏପ୍ରିଲ ୧୧ ତାରିଖ ଛେନାପୋଡ଼ର ସ୍ରଷ୍ଟା ସ୍ୱର୍ଗତ ସୁଦର୍ଶନ ସାହୁଙ୍କ ଜନ୍ମଦିନ ।
