ଅର୍ଥନୀତି

ଆଦିବାସୀଙ୍କୁ ରୋଜଗାର ଦେଇଛି ମହୁଲ ଫୁଲ

ଆଦିବାସୀଙ୍କୁ ରୋଜଗାର ଦେଇଛି ମହୁଲ ଫୁଲ

ଫୁଲବାଣୀ ,20/୩ : କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଳକ୍ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀ ଜନଜାତିଙ୍କ ମୂଖ୍ୟ ରୋଜଗାର ପନ୍ଥା ଜଙ୍ଗଲଜାତ ଦ୍ରବ୍ଯ ଓ ଚାଷ । ଜଙ୍ଗଲଜାତ ଦ୍ରବ୍ୟ ମଧ୍ଯରୁ ରୋଜଗାରର ମହୁଲ ଫୁଲ ହେଉଛି ଏକ ଉତ୍ସ I କନ୍ଧମାଳ ଜିଲ୍ଲାରେ ପ୍ରଚୁର ମହୁଲ ଗଛ ରହିଛି।ପ୍ରତିବର୍ଷ ମାର୍ଚ୍ଚ ଏବଂ ଏପ୍ରିଲ ମାସରେ ମହୁଲ ଗଛଗୁଡିକରେ ଫୁଲ ଧରି ତଳେ ଝଡି ପଡେ।ଏହି ମହୁଲ ଫୁଲ ଗୋଟାଇବା ପାଇଁ ଛୋଟରୁ ବଡ ପର୍ଯ୍ୟନ୍ତ ସମସ୍ତେ ଏଥିରେ ସାମିଲ ହୋଇଯାନ୍ତି ।ଗାଁ ଗାଁରେ ମହୁଲ ଫୁଲ ଗୋଟାଇବାରେ ଏକ ପ୍ରକାର ପ୍ରତିଯୋଗିତା ହେଉଥିବା ଲକ୍ଷ୍ୟ କରାଯାଇଥାଏ।ସକାଳୁ ସକାଳୁ ସ୍ଥାନୀୟ ଜଂଗଲଗୁଡିକରେ ମହୁଲ ଫୁଲ ଗୋଟାଇବା ପାଇଁ ଏକ ପ୍ରକାର ଭିଡ ଜମୁଥିବା ଦେଖିବାକୁ ମିଳେ । ଗଛରେ ଫୁଲ ଫୁଟି ତଳେ ପଡିଯାଏ । ଆଦିବାସୀ ସଂପ୍ରଦାୟର ମହିଳା,ପୁରୁଷ ଏବଂ ପିଲାମାନେ ହାତରେ କୁଲା,ଝୁଡି ଇତ୍ୟାଦି ଧରି ଫୁଲ ସଂଗ୍ରହ କରନ୍ତି । ମହୁଲ ଫୁଲ ସଂଗ୍ରହ ଏଠିକାର ଲୋକଙ୍କୁ ବେଶ ଆନନ୍ଦ ଦେଉଥିବା ବେଳେ ଏହାକୁ ଖାଦ୍ୟ ରୂପେ ମଧ୍ୟ ବ୍ୟବହାର କରନ୍ତି।ସେଥିପାଇଁ ଏହି ଅଂଚଳର ଲୋକେ ପ୍ରତିବର୍ଷ ଏହି ସମୟକୁ ଅପେକ୍ଷା କରି ରହିଥାନ୍ତି।ଜଂଗଲ ଭିତରେ ହେଉ ବା ଗାଁ ପାଖ ମହୁଲ ଗଛଗୁଡିକରୁ ଫୁଲ ସଂଗ୍ରହ କରି ବଜାରରେ ବିକ୍ରି କରିଥାନ୍ତି।ରାତି ପାହିବା ମାତ୍ରେ ପିଲା ଠାରୁ ବୁଢା ଯାଏଁ ହାତରେ ଚାଙ୍ଗୁଡି ଧରି ଗୋଟିଏ ଗଛରୁ ଅନ୍ୟ ଗଛକୁ ଯାଇଥାନ୍ତି ।ସକାଳ ଠାରୁ ଆରମ୍ଭ କରି ସନ୍ଧ୍ୟା ପର୍ଯ୍ୟନ୍ତ ମହୁଲ ଗଛ ମୂଳରେ ଜଗି ରହି ମହୁଲ ଫୁଲକୁ ସଂଗ୍ରହ କରିଥାନ୍ତି। ଏଥିପାଇଁ ଦିନ ତମାମ ଗଛ ପାଖରେ ଜଗି ରହିବାକୁ ପଡ଼େ । ନହେଲେ ଏହି ମହୁଲ ଫୁଲ କୁ ସକାଳ ହୋଇଗଲେ ଛେଳି ଓ ଗାଈ ଖାଇ ଦିଅନ୍ତି ।ଯିଏ ଯେତେ ପାରିଲା ଫୁଲ ଗୋଟାଇ ଆଣନ୍ତି। ବେଳେ ବେଳେ ସ୍କୁଲ ପିଲାଏ ମଧ୍ୟ ଏଥିରେ ମାତିଯାନ୍ତି । ମହୁଲ ଫୁଲ ଅର୍ଥକାରୀ ଜଂଗଲଜାତ ଦ୍ରବ୍ୟ ହୋଇଥିବାରୁ ଆଦିବାସୀ ଭାଇମାନେ ଏଥିରୁ ବେଶ ଦିପଇସା ରୋଜଗାର କରନ୍ତି । ବହୁ ସମୟରେ ଭୋର ସକାଳୁ ମହୁଲ ଫୁଲ ଗୋଟାଇବାକୁ ଯାଉଥିବା ଲୋକେ ଭାଲୁ ହାବୁଡରେ ମଧ୍ୟ ପଡନ୍ତି।ତଥାପି ଲୋକେ ଏହି ଅଭ୍ୟାସକୁ ବନ୍ଦ କରନ୍ତି ନାହିଁ।ଭାଲୁର ମଧ୍ୟ ଏହି ଫୁଲ ପ୍ରତି ଆଗ୍ରହ ରହିଥାଏ।ମହୁଲ ଫୁଲର ମିଠା ବାସ୍ନା ତାକୁ ଗଛ ନିକଟକୁ ଆସିବାକୁ ବାଧ୍ୟ କରିଥାଏ।ଏବେ ମହୁଲ ଫୁଲ ଏକ ବ୍ୟବସାୟର ପରିଣତ ହୋଇଛି।ବ୍ୟବସାୟୀମାନେ ଗୋଟାଳିଙ୍କ ଠାରୁ ଏହା ଶସ୍ତାରେ ଖରିଦ କରି ନେଇ ବାହାରେ ଏହାକୁ ଚଢା ଦରରେ ବିକ୍ରି କରିଥାନ୍ତି।ତେବେ ପ୍ରତି ପଞ୍ଚାୟତରେ ଜଂଗଲଜାତ ଦ୍ରବ୍ୟକୁ ନେଇ କିଛି ମୂଲ୍ୟ ଧାର୍ଯ୍ୟ କରାଯାଇଥାଏ।ମହୁଲ ଫୁଲକୁ ସଂଗ୍ରହ କରିବା ପରେ ବଡ଼ ବଡ଼ ଚାଞ୍ଚାଡ଼ା ପଥର ହେଉ ଅବା ଘର ଟିଣ ଉପରେ ଓ ଘର ବାହାରେ ଶୁଖାଇ ଥାଆନ୍ତି। ଶୁଖାଇବାର ୭ରୁ ୮ ଦିନ ପରେ ଏହାକୁ ସଫା କରି ବ୍ୟବସାୟଙ୍କ ପାଖକୁ ବିକ୍ରି ପାଇଁ ନିଆଯାଇଥାଏ। ବ୍ୟବସାୟୀ କିଲୋ ପିଛା ୩୦ ରୁ ୪୦ ଟଙ୍କା ମଧ୍ୟରେ ମହୁଲ ଫୁଲ ରଖନ୍ତି। ଦିନକୁ ଜଣେ ଲୋକ ୩ରୁ ୪ କିଲୋ ମହୁଲ ଫୁଲ ସଂଗ୍ରହ କରୁଥିବା ବେଳେ ପରିଶ୍ରମ ଅନୁସାରେ ସଠିକ୍ ପ୍ରାପ୍ୟ ମିଳେ ନାହିଁ। ଏଣୁ ମହୁଲ କିଲୋ ପ୍ରତି ୭୦ରୁ ୮୦ ଟଙ୍କା ହିସାବରେ ସରକାରୀ ମୂଲ୍ୟ ଧାର୍ଯ୍ୟ କରିବା ପାଇଁ ଦାବି ହୋଇଛି ।ତେବେ ପ୍ରତିବର୍ଷ ଆଦିବାସୀ ପରିବାର ଏହି ମହୁଲ ଫୁଲ ଗୋଟାଇ ୫ ହଜାରରୁ ୧୦ ହଜାର ଟଂକା ପର୍ଯ୍ୟନ୍ତ ରୋଜଗାର କରନ୍ତି । ଗାଈ ଏହି ମହୁଲ ଫୁଲ ଖାଇବା ଦ୍ବାରା ବହୁତ କ୍ଷୀର ଦିଏ ବୋଲି ଲୋକେ କହନ୍ତି । ତେଣୁ ବଳକା ମହୁଲ ଫୁଲକୁ ବିକ୍ରି ନକରି ଗାଈମାନଙ୍କୁ ଖାଇବାକୁ ଦିଆଯାଏ।ପ୍ରତ୍ୟେକ ଗାଁରେ ଏବେ ମହୁଲ ଫୁଲ ଆଦିବାସୀ ଲୋକଙ୍କ ଦାଣ୍ଡରେ ଶୁଖୁଥିବା ଦେଖିବାକୁ ମିଳେ।ତେବେ ବିଶେଷକରି ମହୁଲରୁ ମଦ ତିଆରି ହେଉଥିବାରୁ ଏହାର ଚାହିଦା ଆହୁରି ବଢିଯାଇଛି।ମହୁଲ ମଦ ସ୍ବାସ୍ଥ୍ୟ ପକ୍ଷେ ସେତେ କ୍ଷତିକାରକ ହେଉନଥିବାରୁ ଲୋକେ ଏଥିରୁ ମଦ ତିଆରି କରିବାକୁ ପସନ୍ଦ କରନ୍ତି ।

Click to comment

Leave a Reply

Your email address will not be published. Required fields are marked *

ଚର୍ଚ୍ଚିତ ଖବର

To Top