ଘୁ.ଉଦୟଗିରି, ୨୫/୮: କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ଅଞ୍ଚଳବାସୀ ଓ ବନ ବିଭାଗର ନିଦ ହଜାଇଦେଇଥିବା ଦନ୍ତାହାତୀର ଉତ୍ପାତରୁ ଦୀର୍ଘ ୩ ମାସ ପରେ ତ୍ରାହି ମିଳିଛି। ଘୁ.ଉଦୟଗିରି ବନାଞ୍ଚଳର ବିଭିନ୍ନ ଇଲାକାରେ ଗତିବିଧି ଜାରି ରଖିଥିବା ଦୁଇଟି ଦନ୍ତା ସେମାନଙ୍କ ମୂଳ ଆସ୍ଥାନ ସୀମାନ୍ତ ଗଞ୍ଜାମ ଜିଲ୍ଲାର ଘୁମୁସର ବନଖଣ୍ଡକୁ ଫେରିଛନ୍ତି। ଏନେଇ ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ଘୁ. ଉଦୟଗିରି ବନାଞ୍ଚଳ ଅନ୍ତର୍ଗତ କଳିଙ୍ଗା ସେକ୍ସନର କଳିଙ୍ଗା, କୁରୁମିଙ୍ଗିଆ, ସୁଜେଲି, ଗାମୁଲି, ରେଟୁଡି, ଘୁ.ଉଦୟଗିରି ସେକ୍ସନର ପିଡ଼ିକାମାହା, ପଦାସାହି, ପୁକୁଲିଙ୍ଗିଆ, ମାଲାନସୁଗା, ରୁଦାଙ୍ଗିଆ, ଗ୍ରେସିଙ୍ଗିଆ, ମଗରଗୁଡ଼, ବାକିକାମ୍ବା, ଡକେଡି, ଝିମାଙ୍ଗିଆ, ଜେ.ପଡିକିଆ, ଆଡ଼ାସିକୁପା ଏବଂ ପାବୁରିଆ ସେକ୍ସନର ପେଟାପାଙ୍ଗା ଓ ବୁର୍ବିନାଜୁ ଅଞ୍ଚଳରେ ଦୁଇଟି ଦନ୍ତାହାତୀ ଦୀର୍ଘ ୩ ମାସରୁ ଅଧିକ ସମୟ ଧରି ଆତଙ୍କ ଖେଳାଇ ଚାଲିଥିଲେ। ଧନଜୀବନନଷ୍ଟ କରିବା ସହ ଅଞ୍ଚଳବାସୀଙ୍କ ନିଦ ହଜାଇଦେଇଥିଲେ। ହାତୀ ଆକ୍ରମଣରେ ଗତ ତିନିମାସ ମଧ୍ୟରେ ତିନିଜଣ ମଣିଷ ଓ ୧୦ ଗାଈଗୋରୁ ପ୍ରାଣ ହରାଇଥିଲେ | ଏହାସହ ଏକାଧିକ ଘର ଓ ଗୁହାଳ ଏବଂ ଫସଲ ନଷ୍ଟ କରିଥିଲେ |
ଅନ୍ୟପକ୍ଷରେ ହାତୀ ଆତଙ୍କ ପାଇଁ ଲୋକ ଚାଷବାସ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ ପାଇଁ ଜଙ୍ଗଲକୁ ଯାଇ ପାରୁ ନଥିଲେ ସଂଜ ନଇଁଲେ ତାଟିକବାଟ ପଡ଼ିଯାଉଥିଲା । ଏପରିକି ଦନ୍ତାର ଉତ୍ପାତରେ ଅତିଷ୍ଠ ହୋଇ ଅଞ୍ଚଳବାସୀ ଗତ ମଙ୍ଗଳବାର ଦିନ ୧୨ଘଣ୍ଟିଆ ବନ୍ଦ ଡାକରା ଦେଇଥିଲେ | ଗତକାଲି ସନ୍ଧ୍ୟାରେ କୁରୁମିଙ୍ଗିଆ ଗାଁରେ ଜଣେ ବ୍ୟକ୍ତିଙ୍କ ମକାବାଡ଼ରେ ପଶି ମକା ଖାଇବା ପରେ ବନ ବିଭାଗ କର୍ମଚାରୀମାନେ ହାତୀକୁ ଘୁମୁସର ବନଖଣ୍ଡର ରମ୍ଭା ସେକ୍ସନ୍ କାନବାନ୍ଦା ଜଙ୍ଗଲ ଆଡ଼କୁ ଘଉଡ଼ାଇଥିଲେ । ଦୁଇ ଦନ୍ତା ଏବେ ସେମାନଙ୍କ ମୂଳ ଆସ୍ଥାନକୁ ଫେରିଥିବା ଜଣାପଡ଼ିଛି।
